ପୁଣି ଗିଲଙ୍କ ବ୍ୟାଟରୁ ବାହାରିଲା ଶତକ ; ଗାଭାସ୍କରଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ

ଇଂଲଣ୍ଡର ଏଜବାଷ୍ଟନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ ଇତିହାସ ରଚିଛନ୍ତି। ପ୍ରଥମ ଇନିଂସରେ ରେକର୍ଡ ବ୍ରେକିଂ ୨୬୯ ରନ କରିଥିବା ଗିଲ ଦ୍ୱିତୀୟ ଇନିଂସରେ ମଧ୍ୟ କମାଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ମଧ୍ୟ ତାଙ୍କ ବ୍ୟାଟରୁ ବାହାରିଛି ଶତକ ଏହି ଶତକ । ସହିତ ସେ ଭାରତର ତୃତୀୟ ଅଧିନାୟକ ଭାବେ ଏକ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ମାରିବାର ବିରଳ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର (୧୯୭୮, ୱେଷ୍ଟଇଣ୍ଡିଜ ବିପକ୍ଷ, କୋଲକାତା) ଓ ବିରାଟ କୋହଲି (୨୦୧୪, ଅଷ୍ଟ୍ରେଲିଆ ବିପକ୍ଷ, ଆଡିଲେଡ) ଏହି କୀର୍ତ୍ତିମାନ ଅର୍ଜନ କରିଥିଲେ।ଗିଲଙ୍କ ଦ୍ୱିତୀୟ ଇନିଂସରେ ଶତକ ହାସଲ ହେବା ପରେ ସେ ମୋଟ ୩୬୯ ରନ (ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟରେ ୧୦୦*) ସହ ଗାଭାସ୍କରଙ୍କ ୩୪୪ ରନର ରେକର୍ଡକୁ ଭାଙ୍ଗି ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏକ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ଶତକୀୟ ଇନିଂସରେ ସେ ୧୨୯ ବଲରେ ୯ଟି ଚୌକା ଓ ୩ଟି ଛକା ମାରିଥିଲେ। ପ୍ରଥମ ଇନିଂସରେ ୩୮୭ ବଲରେ ୩୦ଟି ଚୌକା ଓ ୩ଟି ଛକା ସହ ୨୬୯ ରନ କରି ସେ ବିରାଟ କୋହଲିଙ୍କ ୨୫୪ ରନର ରେକର୍ଡକୁ ଭାଙ୍ଗିଥିଲେ।୨୫ ବର୍ଷୀୟ ଗିଲ, ଭାରତର ୩୭ତମ ଟେଷ୍ଟ ଅଧିନାୟକ ଭାବେ ୨୦୨୫ ମେ’ ୨୪ରେ ନିଯୁକ୍ତ ହୋଇଥିଲେ। ଲିଡ୍ସରେ ପ୍ରଥମ ଟେଷ୍ଟରେ ୧୪୭ ରନର ଇନିଂସ ଖେଳିଥିବା ଗିଲ, ଏଜବାଷ୍ଟନରେ ନିଜର ନେତୃତ୍ୱ ଓ ବ୍ୟାଟିଂ ଦକ୍ଷତା ଦେଖାଇ ଦଳକୁ ଶକ୍ତ ସ୍ଥିତିରେ ପହଞ୍ଚାଇଛନ୍ତି। ତାଙ୍କ ଏହି ପ୍ରଦର୍ଶନ ଭାରତୀୟ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ।